Unknown

 

 

 

 

 

 

 

 

 

କ୍ଷିତି ମଣ୍ଡଳେ ଚଉତିଶା

ସନ୍ଥକବି ଭୀମ ଭୋଇ

 

(ସନ୍ଥକବିଙ୍କର ଏହା ଏକ ଉତ୍କୃଷ୍ଟ ଜଣାଣ ଚଉତିଶା । ଓଲଟ ରୀତିରେ ରଚିତ । ସାଧାରଣତଃ ଚଉତିଶା ଗୁଡ଼ିକ ‘କ’ ଠାରୁ ‘କ୍ଷ’ ଯାଏଁ ଆଦ୍ୟଅକ୍ଷର କ୍ରମରେ ରଚିତ ହୋଇଥିବା ବେଳେ ଉକ୍ତ ଚଉତିଶା ‘କ୍ଷ’ରୁ ଆରମ୍ଭ ହୋଇ ‘କ’ ଆଦ୍ୟ ଅକ୍ଷର କ୍ରମରେ ରଚିତ ହୋଇଛି । କବିଙ୍କର ଭକ୍ତିପୂର୍ଣ୍ଣ ନୈବେଦ୍ୟ ଢାଳି ହୋଇ ପଡ଼ିଛି ଏଥିରେ ।)

 

କ୍ଷିତି ମଣ୍ଡଳରେ ଦେହ ବହି,

କ୍ଷୀରସିନ୍ଧୁ ବାସୀଙ୍କି ମୁଁ ଧ୍ୟାୟୀ ।

କ୍ଷୟ ଯାଉଅଛି ଘୋର କଳିଯୁଗେ, କ୍ଷମା ସାଗର ପୁରୁଷ ଥାଇଁ ହେ ଶ୍ରୀଗୁରୁ ।୧।

 

ହିତକାରୀ ପ୍ରଭୁ ଅଟ ପରା,

ହରଣ କର ବିପତ୍ତି ଭାରା ।

ହତ ହେଉଅଛି ପିଣ୍ଡ ପ୍ରାଣ ମୋର, ହାକିମ ଛାମୁରେ ପଡ଼ି ଧରା ହେ ଶ୍ରୀଗୁରୁ ।୨।

 

ସକ୍ଷ୍ୟ ନାହିଁ ନା ମୋହରି ଦେହେଁ,

ଶଙ୍କି ଟଳି ପଡ଼ୁଅଛି କାୟେ ।

ସମ୍ଭାଳି ନୋହୁଛି ଅକାଳ ବିପତ୍ତି ସ୍ୱାମୀ ନିବାର ହୃଦରୁ ଭୟ ହେ ଶ୍ରୀଗୁରୁ ।୩।

 

ଶବ୍ଦ ତିନିପୁର ତ୍ରୟଲୋକ,

ଶୁଭୁନାହିଁ କି କର୍ଣ୍ଣକୁ ଡାକ ।

ଶୁଖିଲା ନାବରେ ପାଣି ପଶୁଅଛି, ଶୂନ୍ୟ ପୁରୁଷ କର ବିବେକ ହେ ଶ୍ରୀଗୁରୁ ।୪।

 

ଶିରୋମଣି ଠାକୁରଙ୍କୁ ଭଜି,

ସର୍ବ କର୍ମ ହୃଦୟରୁ ତେଜି ।

ଶରଣ ଶରଣ ବୋଲୁ ବୋଲୁ ମୁଖେ, ଶିରୀଚ୍ୟୁତ ହୋଇଲାଣି ଆସି ହେ ଶ୍ରୀଗୁରୁ ।୫।

 

ବାହାର ହୋଇ ହୁଅ ପ୍ରକାଶ,

ବ୍ରହ୍ମତେଜ ପଡ଼ୁ ଦଶଦିଶ ।

ବୁଝାମଣା କରି ଗୁରୁଦେବ ସ୍ୱାମୀ, ବ୍ରହ୍ମାଣ୍ଡରେ ଦିଅ ସ୍ଥିତି ବାସ ହେ ଶ୍ରୀଗୁରୁ ।୬।

 

ଭାବାର୍ଥ- (୧-୬) ହେ କ୍ଷୀରସିନ୍ଧୁ ବାସୀ, ଧରା ଭାରା ନିବାରଣ ପାଇଁ ତୁମେ ଏ ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି । ମୁଁ ହୀନ ଅକିଞ୍ଚନ ତୁମକୁ ସର୍ବଦା ଧ୍ୟାନ କରୁଛି । ହେ ଶ୍ରୀଗୁରୁ, ତୁମଭଳି କ୍ଷମା ସାଗର ପୁରୁଷ ଥାଉଁ ଥାଉଁ ଏ ଘୋର କଳିଯୁଗରେ ମୁଁ ନାଶ ଯାଉଛି । ତୁମେ ମୋର ହିତକାରୀ ପ୍ରଭୁ, ମୋ ବିପତ୍ତି ଭାରାକୁ ଉଦ୍ଧାର କର । ପିଣ୍ଡରୁ ମୋର ପ୍ରାଣ ଚାଳିଯାଉଛି । ହେ ଶ୍ରୀଗୁରୁ, ମୋ ଦେହରୁ ଶକ୍ତି ଅନ୍ତର୍ହତ ହୋଇଯାଉଛି । ଶରୀର ଶଙ୍କାରେ ଟଳି ପଡ଼ୁଛି । ମୋ ଉପରେ ଯେଉଁ ଅକାଳ ବିପତ୍ତି ପଡ଼ିଛି, ତାକୁ ସହି ପାରୁନାହିଁ । ହୃଦୟ ମଧ୍ୟରୁ ଭୟକୁ ଦୂର କର ।

 

ହେ ଶ୍ରୀଗୁରୁ, ଶୂନ୍ୟ ପୁରୁଷ । ତୁମେ ଏ ତିନିଲୋକରେ ପରିବ୍ୟାପ୍ତ ରହିଛି । ମୋ ଜୀବନ ଶୁଖୁଲା ନାବରେ ବିପଦ ରୂପ ଜଳ ପଶିଛି । ଉଦ୍ଧାର ପାଇଁ କେତେ ବିକଳରେ ଡାକୁଛି, କର୍ଣ୍ଣକୁ କ’ଣ ଶୁଭୁନାହିଁ ? ହେ ଶ୍ରୀଗୁରୁ, ହୃଦୟରୁ ସକଳ ଚିନ୍ତାକୁ ତ୍ୟାଗକରି ଠାକୁରଙ୍କୁ ଭଜନ କରୁଛି । ମୁଖରେ ଶରଣ ଶରଣ ବୋଲି ଡାକୁଛୁ, ଏଣେ ମସ୍ତକ ଚ୍ୟୁତ ହେବାକୁ ବସିଲାଣି । ହେ ଶ୍ରୀଗୁରୁ ପ୍ରକାଶିତ ହୁଅ । ତୁମର ବ୍ରହ୍ମତେଜ ଦଶଦିଗରେ ବିସ୍ତାରିତ ହେଉ । ହେ ଗୁରୁଦେବ ସ୍ୱାମୀ, ବ୍ରହ୍ମାଣ୍ଡରେ ଆମକୁ ଆଶ୍ରା ଦିଅ ।

 

ଲୋକ ନିନ୍ଦାରେ ନୋହୁଛି ରହି,

ଲୁଚି ଦିନ ଯାଉଅଛି ବହି ।

ଲଜ୍ଜା ହେଉଅଛି ଜଗତରେ ମୋତେ, ଲାଜେ ନୋହୁଛି ମୁଖ ଦେଖାଇ ହେ ଶ୍ରୀଗୁରୁ ।୭।

ରାଜା ବିପ୍ରେ ହୋଇଲେଣି ମେଳି,

ରହ ପରୀକ୍ଷା ଦେଖିବା ବୋଲି ।

ରୋଷ କରୁଛନ୍ତି ଅନ୍ତର୍ଗତେ ମୋତେ, ରଇରବଗଦେ ମରୁଛି ଭାଳି ହେ ଶ୍ରୀଗୁରୁ ।୮।

ଯତନରେ ପାରୁଶକୁ ଡାକି,

ଯାବତ କଥା ତୁଣ୍ଡରେ ଭାକି ।

ଜଗିଥିବୁ ଆମ୍ଭେ ନ ଯାଉ ବୋଲନ୍ତେ, ଯାଅ ଯାଅ ବୋଲି ଦେଲେ ଫିଙ୍ଗି ହେ ଶ୍ରୀଗୁରୁ ।୯।

ମନେ ବଡ଼ିମା ବହି ଅକଲେ,

ମିଛ ପରୀକ୍ଷା ନେବୁ ବୋଇଲେ ।

ମନ୍ଦ ଜାତି କନ୍ଧ ଅଟେ ଭୀମ ଭୋଇ, ମହା ଅଜ୍ଞାନୀ ବୋଲି କହିଲେ ହେ ଶ୍ରୀଗୁରୁ ।୧୦।

ଭାରା ହୋଇଲାଣି ବେଳୁବେଳ,

ଭାସି ଡାକୁଛି ହୋଇ ବିକଳ ।

ଭରସା କରିଛି ଗୁରୁ ପାଦ ତଳେ, ଭୟ ନିବାର ଅନାଦି ମୂଳ ହେ ଶ୍ରୀଗୁରୁ ।୧୧।

 

ବହିଗଲାଣି କେତେ ଦିବସ,

ବ୍ରହ୍ମ ଏତେବେଳେ ହୁଅ ଦୃଶ୍ୟ ।

ବାଧି ଯାଉଅଛି ଜୀବନରୁ ମୋର, ବାନା ଉଦେ କର ଦଶଦିଶ ହେ ଶ୍ରୀଗୁରୁ ।୧୨।

 

ଭାବାର୍ଥ- (୭-୧୨) ହେ ଶ୍ରୀଗୁରୁ, ଲୋକନିନ୍ଦା ମୋତେ ଘାରୁଛି । ଶାନ୍ତିରେ ରହିପାରୁନାହିଁ । ଜଗତରେ ମୋତେ ଲଜ୍ଜା ହେଉଛି, ଲାଜରେ କାହାକୁ ମୁହଁ ଦେଖାଇ ପାରୁନାହିଁ । ହେ ଶ୍ରୀଗୁରୁ, ରାଜା ବ୍ରାହ୍ମଣ ସବୁ ମେଳି ବାନ୍ଧିଲେଣି । ମୋ ପ୍ରତି ରୋଷ କରୁଛନ୍ତି । ସେ କଥାକୁ ଭାଳି ଭାଳି ମୁଁ ମରୁଛି । ହେ ଶ୍ରୀଗୁରୁ, ସେମାନେ ଆମକୁ ସ୍ନେହରେ ପାଖକୁ ଡାକି, ଅନେକ ଗାଳି ଦେଲେ । ଯାଅ ଯାଅ ବୋଲି ଆମକୁ ଜିଙ୍ଘାସ କଲେ । ମନରେ ଗର୍ବ ବହି କନ୍ଧ ଜାତି ମନ୍ଦ ଜାତି, ଭୀମ ଭୋଇ ମହାଅଜ୍ଞାନ ବୋଲି ଗାଳି ଦେଲେ ।

 

ହେ ଶ୍ରୀଗୁରୁ, ବେଳକୁ ବେଳ ଦୁଃଖ ମୋର ବଢ଼ୁଛି । ଦୁଃଖ ସାଗରରେ ଭାସି ଥଳକୂଳ ପାଉନି । ବିକଳ ହୋଇ ତୁମକୁ ଡାକୁଛି । ହେ ଅନାଦି ମୂଳ, ଗୁରୁଙ୍କ ପାଦ ତଳେ ଭରସା କରିଛି । ଭୟ ନିବାରଣ କର । ହେ ଶ୍ରୀଗୁରୁ, ସମୟ ଗଡ଼ିଯାଉଛି, ହେ ବ୍ରହ୍ମ, ଏତିକି ବେଳେ ତୁମେ ଦୃଶ୍ୟ ହୁଅ । ମୋର ଜୀବନକୁ ବହୁତ ବାଧିଲାଣି । ଦଶଦିଗରେ ତୁମ ବାନା ପରିବ୍ୟାପ୍ତ ହେଉ । ଏ ଅସଦ୍ୟ ଦୁଃଖରୁ ମୋତେ ଉଦ୍ଧାର କର ।

 

ଫେଡ଼ ଅକାଳ ବିପତ୍ତି ଦଶା,

ଫୁକା ବନ୍ଧ ଫଣି ମଣି ଭରସା ।

ଫସାଦ ବଚନ କହୁଛନ୍ତି ସର୍ବେ, ଫାନ୍ଦେ ପଡ଼ିଣ କରିଛି ଆଶା ହେ ଶ୍ରୀଗୁରୁ ।୧୩।

 

ପିତାମାତା ଅଟ ଶୂନ୍ୟ ଦେହୀ,

ପାପ ଜାଲେ ପଡ଼ିଅଛି ମୁହିଁ ।

ପରୀକ୍ଷା ନ ଦେଲେ ରାଜା ବ୍ରାହ୍ମଣକୁ, ପିଣ୍ଡ ପ୍ରାଣରେ ମୋ ଆଶା ନାହିଁ ହେ ଶ୍ରୀଗୁରୁ ।୧୪।

 

ନବଖଣ୍ଡ ମେଦିନୀରେ ଯେତେ,

ନୟନରେ ଦେଖନ୍ତୁ ସାକ୍ଷାତେ ।

ନିଶି ଦିବସରେ ପରୀକ୍ଷ ପରୀକ୍ଷ, ନରେ ମାଗୁଅଛନ୍ତି ସମସ୍ତେ ହେ ଶ୍ରୀଗୁରୁ ।୧୫।

 

ଧର୍ମ ଚାରିଯୁଗେ ଯେବ ସତ୍ୟ,

ଧରଣୀରେ ରହୁ ସତ୍ୟକୃତ ।

ଧରତୀ ଆକାଶେ ପୂରି ରହିଅଛ, ଧର୍ମ ଅଣାକାର ଅବଧୂତ ହେ ଶ୍ରୀଗୁରୁ ।୧୬।

 

ଦୁଃଖ ଜଣାଣ କରିବି କେତେ,

ଦଇବ ଅଟ ତୁମ୍ଭେ ସାକ୍ଷାତେ ।

ଦୟାବନ୍ତ ପ୍ରଭୁ ନ ବୁଝିବ ଯେବେ, ଦରିଆରେ ଭାସିଲି ନିରତେ ହେ ଶ୍ରୀଗୁରୁ ।୧୭।

 

ଥାନ ଭ୍ରଷ୍ଟକରି ଖେଦୁଛନ୍ତି,

ଥିତି ବସା ନଦେଉ ଅଛନ୍ତି ।

ଥର ଥର ହେଉଅଛି ପିଣ୍ଡେ ପ୍ରାଣ, ଥୟେ ନ ରହୁଛି ମୋର ମତି ହେ ଶ୍ରୀଗୁରୁ ।୧୮।

 

ତିନି ତ୍ରୈଲୋକ୍ୟ କର୍ତ୍ତା ଆପଣ,

ତ୍ରାହି ବୋଲି ମାଗୁଛି ଶରଣ ।

ତତ୍ତ୍ୱଚିତ୍ତେ ସ୍ୱାମୀ ଦୟାକର ମୋତେ, ତୁମ୍ଭେ ଅଟ ଅଲେଖ ଅବର୍ଣ୍ଣ ହେ ଶ୍ରୀଗୁରୁ ।୧୯।

 

ଅଣାକାର ଅଲେଖ ଅରୂପୀ,

ଅନନ୍ତ ସ୍ୱରୂପ ଅଛ ବ୍ୟାପୀ ।

ଅନ୍ତର୍ଯ୍ୟାମୀ, ସ୍ୱାମୀ ଅଣହେଳା କଲେ, ଆନେ କେହି ନ ପାରିବେ ରଖି ହେ ଶ୍ରୀଗୁରୁ ।୨୦।

 

ଭାବାର୍ଥ- (୧୩-୨୦) ହେ ଶ୍ରୀଗୁରୁ, ମୁଁ ଅକାଳ ବିପତ୍ତି ଦଶାରେ ପଡ଼ି ଘାଣ୍ଟି ହେଉଛି । ଫଣି ମଣିକୁ ଭରସା କରିଛି । ସମସ୍ତେ କପଟ କଥା କହୁଛନ୍ତି । ଏ ବିପତ୍ତି ବେଳେ ତୁମକୁ ଆଶ୍ରା କରିଛି, ଏଥିରୁ ଉଦ୍ଧାର କର । ହେ ଶ୍ରୀଗୁରୁ, ଶୂନ୍ୟଦେହି । ତୁମେ ହିଁ ମୋର ପିତାମାତା । ମୁଁ ପାପ ଜାଲରେ ପଡ଼ି କଷ୍ଟ ପାଉଛି । ପିଣ୍ଡପ୍ରାଣରେ ମୋ ଆଶା ନାହିଁ । ହେ ଶ୍ରୀଗୁରୁ, ନବଖଣ୍ଡ ମେଦିନୀରେ ଯେତେ ପ୍ରାଣୀ ଅଛନ୍ତି, ସମସ୍ତଙ୍କୁ କୃପା ଦୃଷ୍ଟିରେ ଦେଖ । ରାତିଦିନ ସେମାନେ ତୁମର କୃପାଭିକ୍ଷୁ ରହୁଛନ୍ତି । ହେ ଶ୍ରୀଗୁରୁ, ହେ ଧର୍ମ, ଅଣାକାର ଅବଧୂତ, ପୃଥିବୀ ଆକାଶରେ ତୁମେ ପୂରି ରହିଛି । ଧର୍ମ ଯଦି ଜଗତରେ ସତ୍ୟ, ତେବେ ପୃଥିବୀରେ ସତ୍ୟ ବିରାଜମାନ କରୁ ।

 

ହେ ପ୍ରଭୁ, ହେ ଶ୍ରୀଗୁରୁ, ତୁମେ ସାକ୍ଷାତରେ ଦଇବ ବିଧାତା, କେତେ ବା ତୁମକୁ ଦୁଃଖ ଜଣାଇବି ? ଦୟାବନ୍ତ ପୁରୁଷ ହୋଇ ତୁମେ ଯଦି ଦୁଃଖ ନ ବୁଝିବ, ଦରିଆରେ ଭାସିବାଟା ମୋର ସାର ହେବ । ଦୁଷ୍ଟ ଲୋକମାନେ ଆମ୍ଭମାନଙ୍କ ରହିବା ସ୍ଥାନକୁ ଭାଙ୍ଗି ଆମକୁ ଘଉଡ଼ାଉଛନ୍ତି । କେଉଁଠି ରହିବା ପାଇଁ ବସା ଦେଉନାହାନ୍ତି । ପିଣ୍ଡରେ ପ୍ରାଣ ଥର ହର ହେଉଛି । ମୋର ମତି ଥୟ ରହୁନାହିଁ । ହେ ଶ୍ରୀଗୁରୁ, ତିନିଲୋକର କର୍ତ୍ତା ତୁମେ । ମୁଁ ଶରଣ ମାଗୁଛି, ମୋତେ ଉଦ୍ଧାର କର । ହେ ଅଲେଖ, ଅବର୍ଣ୍ଣ, ତତ୍ତ୍ୱଚିତ୍ତରେ ବିଚାର କରି ମୋତେ ଦୟା କର । ହେ ଅଣାକାର, ଅଲେଖ, ଅରୂପୀ । ତୁମେ ଅନନ୍ତ ସ୍ୱରୂପ । ଚତୁର୍ଦ୍ଦିଗରେ ବ୍ୟାପି ରହିଛି । ଅନ୍ତର୍ଯ୍ୟାମୀ ସ୍ଵାମୀ ହୋଇ ମୋ ପ୍ରତି ଅଣହେଳା କଲେ, ଆଉ କିଏ ରକ୍ଷା କରିବ ?

 

ଢେଙ୍କାନାଳେ ବିଜେ କରିଥିଲ,

ଢାଳେ ବାନା ପରକାଶ କଲ ।

ଢଳି ପଡ଼ିଲା ବେଳକୁ ଗୁରୁସ୍ୱାମୀ, ଢାଙ୍କୁଣୀରେ କି ଗୋପ୍ୟାନ ହେଲ ହେ ଶ୍ରୀଗୁରୁ ।୨୧।

 

ଡକାୟତ ହସ୍ତେ ପଗଡ଼ାଇ,

ଡାକ ନ ଶୁଣୁଛ କାହିଁ ପାଇଁ ।

ଦାଣ୍ଡେ ପଡ଼ିଅଛି ଭୀମ ଅରକ୍ଷିତ, ଡୋଳେ ଆକାଶକୁ ଅଛି ଚାହିଁ ହେ ଶ୍ରୀଗୁରୁ ।୨୨।

 

ଠିଆ ହୋଇ ଜଣାଣ କରୁଛି,

ଠାକୁରଙ୍କ ଆଜ୍ଞାକୁ ଟାକିଛି ।

ଠାବ ମିଳୁଅଛି କେତେ ଦିବସରେ, ଠିକେ ଯୁଗ ଶେଷ ହେଲା ଆସି ହେ ଶ୍ରୀଗୁରୁ ।୨୩।

 

ଟେଢ଼ା ବଚନ କହୁ ଅଛନ୍ତି,

ଟମାଳିଆ ପ୍ରାୟେ ମଣୁଛନ୍ତି ।

ଟଳ ଟଳ ହେଉଅଛି ପିଣ୍ଡପ୍ରାଣ, ଟିକେ ନ ମିଳୁଛି ଥୟ ସ୍ଥିତି ହେ ଶ୍ରୀଗୁରୁ ।୨୪।

 

ନିନ୍ଦା କର୍ଣ୍ଣରେ ନୋହୁଛି ଶୁଣି,

ନିରନ୍ତରେ ଅପଖ୍ୟାତି ଧ୍ୱନି ।

ନାରୀ ପୁରୁଷ ବାଳକ ବୃଦ୍ଧଜନ, ନରେ ହୃଦରେ ଅହନ୍ତା ଘେନି ହେ ଶ୍ରୀଗୁରୁ ।୨୫।

 

ଝଟତିରେ ବୁଝାମଣା ହେଉ,

ଝିମିଟିକେ କଳି କ୍ଷୟ ଯାଉ ।

ଝାଉଁଲତା ବନୁ ପାରିକର ମୋତେ, ଝୁଙ୍କି ପଡ଼ୁଅଛି ମହାବାହୁ ହେ ଶ୍ରୀଗୁରୁ ।୨୬।

 

ଯାଅ ବୋଲନ୍ତେ ଫେରି ନ ଯାଇ,

ଜଗି ବସିଥିବି ପଥେ ମୁହିଁ !

ଜଗତ କରତା ବୁଝିବା ପର୍ଯ୍ୟନ୍ତେ, ଯାନଜୀବନେ ମୋ ଆଶା ନାହିଁ ହେ ଶ୍ରୀଗୁରୁ ।୨୭।

 

ଭାବାର୍ଥ- (୨୧-୨୭) ହେ ଶ୍ରୀଗୁରୁ, ଢେଙ୍କାନାଳରେ ବିଜେ କରିଥିଲ, ମହିମା ବାନା ପ୍ରକାଶ କଲା । ହେ ଗୁରୁସ୍ୱାମୀ, ମଲା ବେଳକୁ କେଉଁଠାରେ ଗୋପନ ହୋଇଗଲ ? ଡକାୟତର ହାତରେ ପଡ଼ି ଦୁଃଖକଷ୍ଟ ଭୋଗୁଛି । କେତେ ପରି ଡାକୁଛି, ମୋ ଡାକ ଶୁଣୁନାହିଁ । ଅର୍କ୍ଷିତ ଭୀମ ଦାଣ୍ଡରେ ପଡ଼ି ଶୂନ୍ୟ ଆକାଶକୁ ଚାହିଁ ରହିଛି, ତଥାପି ମୋ ପ୍ରତି ଦୟା କରୁନାହିଁ ? ହେ ଶ୍ରୀଗୁରୁ, ଠିଆ ହୋଇ ତୁମକୁ ଜଣାଣ କରୁଛି । ଠାକୁରଙ୍କ ଆଜ୍ଞାକୁ ଚାହିଁ ରହିଛି । ଯୁଗ ଶେଷ ହୋଇ ଆସିଲାଣି, ମୋ ଡାକ ପ୍ରଭୁ କେବେ ଶୁଣିବେ କେଜାଣି ? ହେ ଶ୍ରୀଗୁରୁ, ଲୋକମାନଙ୍କ ଟେଢ଼ା (ନିଷ୍ଠୁର) କଥା ଶୁଣି ସହି ହେଉନାହିଁ । ଟମାଳିଆ (ପରିହାସ) ପ୍ରାୟ ଆମକୁ ମନେ କରୁଛନ୍ତି । ପିଣ୍ଡପ୍ରାଣ ଟଳଟଳ ହେଉଛି । ସାମାନ୍ୟ ଶାନ୍ତି ମଧ୍ୟ ଏଠାରେ ମିଳୁନାହିଁ ।

 

ହେ ଶ୍ରୀଗୁରୁ, ଲୋକମାନଙ୍କ ନିଷ୍ଠୁର କଥା, ନିନ୍ଦା ଶୁଣି ହେଉନାହିଁ । ନିରନ୍ତର ସେମାନେ ଆମର ଅପଖ୍ୟାତି କରୁଛନ୍ତି । ନାରୀ, ପୁରୁଷ, ବୃଦ୍ଧ ଲୋକମାନେ ଆମ ପ୍ରତି ହୃଦୟରେ ଅହନ୍ତା (ଶତ୍ରୁଭାବ) ଭାବ ଧରିଛନ୍ତି । ହେ ଶ୍ରୀଗୁରୁ, କଳିଯୁଗର ଏ ଦୁଃଖକଷ୍ଟରୁ ମୋତେ ପାରି କର । ଜଗତରେ ଝାଉଁଲତା ବନମଧ୍ୟରୁ ମୋତେ ପାରିକର । ହେ ମହାବାହୁ, ମୁଁ କ୍ଳନ୍ତ ହୋଇଗଲିଣି । ପଥରେ ମୁଁ ଜଗି ବସିଛି । ତୁମେ ଜଗତ କରତା ହୋଇ ଯଦି ମୋ ଦୁଃଖ ନ ବୁଝିବ, ତେବେ ମୋ ଜୀବନ ପ୍ରତି ଆଉ ଆଶା ନାହିଁ ।

 

ଛାତିରୂପୀ ଅଛ କଳିକାଳେ,

ଛଡ଼ ବେଦ ବାସୀ ଧର୍ମ ବଳେ ।

ଛନ୍ନ ଛନ୍ନ ହେଉଅଛି ପିଣ୍ଡେ ପ୍ରାଣ, ଛନ୍ଦେ ପଡ଼ି ଡାକୁଛି ବିକଳେ ହେ ଶ୍ରୀଗୁରୁ ।୨୮।

ଚିହ୍ନଟ ଦିଅ ଏ କଳିକାଳେ,

ଚନ୍ଦ୍ର ପରାୟେ ମହୀମଣ୍ଡଳେ ।

ଚିଦାନନ୍ଦ ସ୍ୱାମୀ ବିଳମ୍ବ ନ କରି, ଚାହିଁ ଦୟାକର ଏତେବେଳେ ହେ ଶ୍ରୀଗୁରୁ ।୨୯।

ଅନନ୍ତ ମୂରତି ଅଣାକାର,

ଅନ୍ତର୍ଗତରେ ବିଚାର କର ।

ଅନ୍ୟଥା ନ କର ଭୃତ୍ୟର ବଚନ, ଅନ୍ତର୍ଯ୍ୟାମୀ ବ୍ରହ୍ମାଣ୍ଡଠାକୁର ହେ ଶ୍ରୀଗୁରୁ ।୩୦।

ଘର ବାହାରେ ନୋହୁଛି ବାସ,

ଘାରି ହୋଇ ରଜନୀ ଦିବସ ।

ଘଡ଼ିକି ଘଡ଼ି ଚେତା ହଜିଯାଉଛି, ଘୋର କଳିକାଳେ ହୁଅ ଦୃଶ୍ୟ ହେ ଶ୍ରୀଗୁରୁ ।୩୧।

 

ଗୁରୁସ୍ୱାମୀ ପରା ବୋଲାଉଛ,

ଗୁପତରେ କାହିଁକି ଲୁଚିଛ ।

ଗରବ ଗଞ୍ଜନ ବାନା ଥାଉଁ ଥାଉଁ, ଗୁଡ଼େ ଦିନ କିମ୍ପାଇ ରଞ୍ଚୁଛ ହେ ଶ୍ରୀଗୁରୁ ।୩୨।

 

କ୍ଷିତି ମଣ୍ଡଳେ ମହିମା ରଖ,

ଖ୍ୟାତ ହେଉ ତିନି ତ୍ରଇଲୋକ ।

କ୍ଷୟ ଯାଉଅଛି ଘୋର କଳିଯୁଗେ, କ୍ଷମା ସାଗର ପୁରୁଷ ରଖ ହେ ଶ୍ରୀଗୁରୁ ।୩୩।

 

କିସ ଜଣାଣ କରିବି ମୁହିଁ,

କରତାଙ୍କ ପଦ୍ମପାଦ ଧ୍ୟାୟି ।

କରଯୋଡ଼ି ବୋଲେ ଅରକ୍ଷିତ ଭୀମ, କର୍ତ୍ତା ଛାମୁରେ ବିନୟ ହୋଇ ହେ ଶ୍ରୀଗୁରୁ ।୩୪।

 

ଭାବାର୍ଥ- (୨୮-୩୪) ହେ ଶ୍ରୀଗୁରୁ, କଳିକାଳରେ ମୂର୍ତ୍ତି ରୂପରେ ରହିଛି । ପିଣ୍ଡରେ ପ୍ରାଣ ଛନ୍ନ ଛନ୍ନ ହେଉଛି । ଦୁଃଖରେ ପଡ଼ି ମୁଁ ତୁମକୁ ବିକଳରେ ଡାକୁଛି । ହେ ପ୍ରଭୁ, ଏ କଳିକାଳରେ ଜଗତ ବକ୍ଷରେ ଚନ୍ଦ୍ର ପରି ଉଭା ହୁଅ । ହେ ଚିଦାନନ୍ଦ ସ୍ୱାମୀ କୃପାଦୃଷ୍ଟିରେ ଚାହିଁ ଆମକୁ ରକ୍ଷା କର । ହେ ଅନନ୍ତ ମୂର୍ତ୍ତି ଅଣାକାର, ଅନ୍ତର୍ଯ୍ୟାମୀ, ବ୍ରହ୍ମାଣ୍ଡ ଠାକୁର, ଏ ଭୃତ୍ୟକୁ ଅନାଥ କର ନାହିଁ । ଦିବସରଜନୀ ଦୁଃଖ କଷ୍ଟରେ ଘାଣ୍ଟି ହୋଇ ଘର ବାହାରେ ରହିପାରୁ ନାହିଁ । ଘଡ଼ି ଘଡ଼ିକେ ଚେତା ହଜି ଯାଉଛି । ହେ ଶ୍ରୀଗୁରୁ, ଏ ଘୋର କଳିକାଳରେ ଦୃଶ୍ୟ ହୁଅ ।

 

ହେ ପ୍ରଭୁ, ଗୁରୁସ୍ୱାମୀ ବୋଲାଉଛି, ଗରବ ଗଞ୍ଜନ ବାନାକୁ ବହିଛି । ଗୁପ୍ତରେ କାହିଁକି ଲୁଚୁଛ ? ଏ ଜଗତରେ ତୁମର ମହିମାକୁ ରଖ । ତିନି ଭୁବନରେ ଏହା ଖ୍ୟାତ ହେଉ । କଳିଯୁଗରେ ମୁଁ କ୍ଷୟ ଯାଉଛି । ହେ କ୍ଷମାସାଗର ପୁରୁଷ । ମୋତେ ଘଣ୍ଟ ଘୋଡ଼ାଇ ରଖ । ହେ ଶ୍ରୀଗୁରୁ, ଅଧିକ କ’ଣ ବା ତୁମକୁ ଜଣାଇବି ? ଜଗତ କରତାଙ୍କ ପଦ୍ମପାଦକୁ ଭୀମ ଅରକ୍ଷିତ ଧାନ କରୁଛି ।

 

Image